ଭୁବନେଶ୍ୱର :୨୩ l ୦୭ I 2026 [ଆ.ଦୁ.ନି] : ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ସ୍ୱରୂପ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି । ନଗର ଉନ୍ନୟନ ବିଭାଗ ଦ୍ୱାରା ବିଜ୍ଞାପିତ ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ ।
ଏହି ସଂଶୋଧିତ କ୍ଷମତା ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଏମ୍ ଡି ମାନଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରମାନଙ୍କ ସହିତ ସମାନ କରାଯାଇଛି ।
ମହାନଗର ନିଗମ ପାଇଁ:ବିଲ୍ ମଞ୍ଜୁରୀ:କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଏବଂ କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁର ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱର ମହାନଗର ନିଗମ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ମହାନଗର ନିଗମ ପାଇଁ ୧୫ ଲକ୍ଷ ଟଙ୍କା ଥିଲା । ୧ କୋଟି ଟଙ୍କାରୁ ଅଧିକ ବିଲ୍କୁ ମହାନଗର ନିଗମର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ଦରମା ଓ ପେନ୍ସନ୍: କମିଶନରମାନଙ୍କୁ ଦରମା ଏବଂ ପେନ୍ସନ୍ ବିଲ୍ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।
ପ୍ରଶାସନିକ ଅନୁମୋଦନ: ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ଦେବାର ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୩ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଚୁକ୍ତିସମ୍ପର୍କିତ ସ୍ଥାୟୀ କମିଟି, ୪ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ମହାନଗର ନିଗମ ଏବଂ ୫ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବ ପାଇଁ ପ୍ରାଶାସନିକ ବିଭାଗ ର ଅନୁମୋଦନ ଆବଶ୍ୟକ ହେବ।
ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରଦାନ କ୍ଷମତା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦ ଲକ୍ଷ ଟଙ୍କାରୁ ଅଧିକ ବିଲ୍ ପାଇଁ ନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷଙ୍କ ଯୁଗ୍ମ ସ୍ୱାକ୍ଷର ଆବଶ୍ୟକ ହେବ । ଦରମା ଓ ପେନ୍ସନ୍: ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଦରମା ଏବଂ ପେନ୍ସନ୍ ବିଲ୍ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି।
ପ୍ରଶାସନିକ ଅନୁମୋଦନ: ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦ ଲକ୍ଷରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପୌର ପରିଷଦ ଦ୍ୱାରା ଅନୁମୋଦିତ ହେବ ଏବଂ ୩ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପାଇଁ ପ୍ରାଶାସନିକ ବିଭାଗର ଅନୁମୋଦନ ଆବଶ୍ୟକ ହେବ ।
ଆର୍ଥିକ କ୍ଷମତାର ଏହି ସଂଶୋଧନ ଦ୍ୱାରା ସ୍ଥାନୀୟ ପୌରସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ସ୍ୱାୟତ୍ତତା ପାଇବା ସହ ସରକାରୀ ପ୍ରକ୍ରିୟାଗତ ବିଳମ୍ବ ହ୍ରାସ ପାଇବ । ଏହା ସହିତ ଓଡ଼ିଶାର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ l
