- ୮୦ତମ ସ୍ବାଧୂନତା ଦିବସ ଅବସରରେ କାନାରା ବ୍ୟାଙ୍କ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ “କାନରା ବିଦ୍ୟା ଜ୍ୟୋତି” ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ
ଭୁବନେଶ୍ଵର 14.08.2026 [ଆ.ଦୁ.ନି]: କାନାରା ବ୍ୟାଙ୍କ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କାନାରା ବିଦ୍ୟା ଜ୍ୟୋତି ଯୋଜନା–୨୦୨୬ ଅନ୍ତର୍ଗତ ବିବେକାନନ୍ଦ କେନ୍ଦ୍ର, ଏଆଇସିୱାଇଏଏମ୍ଠାରେ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ଅବହେଳିତ ବର୍ଗର ପ୍ରତିଭାବାନ ଛାତ୍ରୀମାନଙ୍କୁ ସଶକ୍ତ ଓ ସୁଦୃଢ କରି ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଊଦ୍ଦେଶ୍ୟ ଥିଲା। ପଞ୍ଚମରୁ ଦଶମ ଶ୍ରେଣୀର ମେଧାବୀ ଏସ୍ସି/ଏସ୍ଟି ଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ୨୦୧୩ ମସିହାରେ ଆରମ୍ଭ ହୋଇଥିବା କାନାରା ବିଦ୍ୟା ଜ୍ୟୋତି ଯୋଜନା ଶିକ୍ଷା ଓ ସାମାଜିକ ସଶକ୍ତିକରଣ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାର ଏକ ଅର୍ଥପୂର୍ଣ ପ୍ରୟାସ। ଏହି ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲାର ୨୮୫ଟି କାନାରା ବ୍ୟାଙ୍କ ଶାଖା ମାଧ୍ୟମରେ ୧୭୧୦ ଜଣ ଯୋଗ୍ୟ ଛାତ୍ରୀଙ୍କୁ ମୋଟ୍ ୬୮.୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ଵର ମଣ୍ଡଳ କାର୍ଯ୍ୟାଳୟର ମହାପ୍ରବନ୍ଧକ ସୁବୋଧ କୁମାର ମଲ୍ଲିକ ଶିକ୍ଷା, ମହିଳା ସଶକ୍ତିକରଣ ଓ ସମାଜର ବିଭିନ୍ନ ସାମାଜିକ ଓ ଆର୍ଥିକ ବିକାଶମୂଳକ କାର୍ଯ୍ୟରେ କାନାରା ବ୍ୟାଙ୍କର ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସାର୍ଭେନ୍ କୁମାର ଶୁକ୍ଳା (ଉପ-ମହାପ୍ରବନ୍ଧକ) ଏବଂ ସୁଦୀପ୍ତ କିଶୋର ଗଡନାଏକ( ଉପ-ମହାପ୍ରବନ୍ଧକ) ଉପସ୍ଥିତ ଥିଲେ। ମୁଖ୍ୟ ଅତିଥ୍ ସୁମିତ୍ରା କୁମାରୀ ପଟ୍ଟନାୟକ (ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ) ଏହି କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ରାଷ୍ଟ୍ର ଗଠନରେ ଛାତ୍ରୀମାନଙ୍କର ଗୁରୁତ୍ଵପୂର୍ଣ ଭୂମିକା ଓ ଅବଦାନ ଉପରେ ଆଲୋକପାତ କରିଥିଲେ।
