*ଓଡିଶା ୟୁନିଟ୍ ଦ୍ବାରା ଅଭାବୀ ସ୍କୁଲକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ
*ଶିକ୍ଷା ଏବଂ କଲ୍ୟାଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୁହଁରେ ହସ
ଭୁବନେଶ୍ୱର 13.02.2026 [ଆ.ଦୁ.ନି] ସାମାଜିକ ଦାୟିତ୍ୱବୋଧ ଏବଂ ସାମଗ୍ରିକ ବିକାଶ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍ ଓଡିଶା ୟୁନିଟ୍ ଦ୍ଵାରା ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୪୦୦ କି.ମି. ଦୂରରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲାର ନର୍ଲା ତହସିଲସ୍ଥିତ ଜାମପଡା ଗ୍ରାମର ଏକ ଅଭାବୀ ସ୍କୁଲକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରାଯାଇଛି।
ବ୍ୟାଙ୍କର ଅଧିକାରୀ, ସଦସ୍ୟ ଓ ପୂର୍ବତନ କର୍ମଚାରୀଙ୍କ ଉଦାରତା ଓ ସ୍ୱେଚ୍ଛାକୃତ ଅବଦାନ ସହିତ ସ୍କୁଲର ଶିକ୍ଷାଗତ ପରିବେଶକୁ ଉନ୍ନତ କରିବା ପାଇଁ ଅନେକ ଅତ୍ୟାବଶୀକୀୟ ସୁବିଧା ଓ ଶିକ୍ଷା ସାମଗ୍ରୀ ଏଠାରେ ଯୋଗାଇ ଦିଆଯାଇଛି ।
ଏହି ସ୍କୁଲରେ ପିଲାମାନଙ୍କର ଶୁଦ୍ଧ ପାନୀୟ ଜଳ ପାଇଁ ୱାଟର ପ୍ୟୁରିଫାୟାର ସ୍ଥାପନ, ପାଠପଢା ଟେବୁଲ, ସ୍କୁଲ ବ୍ୟାଗ୍ , ପେନ୍ସିଲ, ପେନ୍, ନୋଟ୍ବୁକ୍, ଜେମୋଟ୍ରି ବକ୍ତି ଆଦି ପ୍ରଦାନ ତଥା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କ୍ରିକେଟ୍ କିଟ୍ ଏବଂ ଫୁଟବଲ୍ ପରି କ୍ରୀଡା ସାମଗ୍ରୀ ଯୋଗାଇ ଦିଆଯାଇଛି। ଏଥି ସହିତ ସ୍କୁଲର ବିଦ୍ୟୁତ ବ୍ୟବସ୍ଥାର ପୁନରୁଥାନ ଏବଂ ଆଲୋକ ଓ ଫ୍ୟାନ୍ ଆଦିର ମରାମତି ପାଇଁ ବ୍ୟବସ୍ଥା କରାଯାଇଛି ଯାହା ସ୍କୁଲର ମୌଳିକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ।
ଏହି ଅବସରରେ ବିଓଆଇ ଓଡିଶା ୟୁନିଟ୍ର ଅଧିକାରୀମାନେ ସମସ୍ତ ଅବଦାନକାରୀ ଏବଂ ସହଯୋଗକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ପିଲାମାନଙ୍କ ମୁହଁରେ ହସ ଏବଂ ଖୁସି ବାସ୍ତବରେ ଅମୂଲ୍ୟ ଏବଂ ଭବିଷ୍ୟତରେ ଏହିପରି ସାମାଜିକ ପଦକ୍ଷେପ ଜାରି ରହିବ ବୋଲି ଆସୋସିଏସନ୍ର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇଥିଲା।
ଏହି ପଦକ୍ଷେପ ସାମୂହିକ ଦାୟିତ୍ଵ ଏବଂ ସେବାର ଭାବନାକୁ ପ୍ରତିଫଳିତ କରେ, ଯାହା ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ଅର୍ଥପୂର୍ଣ ପରିବର୍ତ୍ତନ ଆଣିପାରିବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିପାରିବ। ଏହି ଅବସରରେ ୟୁନିଟ୍ର ସଭାପତି କମ୍ରେଡ୍ ସ୍ମୃତିରଞ୍ଜନ ସାହୁ ଏବଂ ସାଧାରଣ ସମ୍ପାଦକ କମ୍ରେଡ୍ କମଲଜିତ୍ ମହାପାତ୍ରଙ୍କ ସମେତ ବିଓଆଇଓଏ, ଓଡିଶା ୟୁନିଟ୍ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
