ହଳଧର ଧୀର,ବରିଷ୍ଠ ସାମ୍ବାଦିକ ଭୁବନେଶ୍ବର
ମନୁଷ୍ୟ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଜଗତରୁ ଶଙ୍କରାଚାର୍ଯ୍ୟ ତାଙ୍କର ‘ ବିବେକ ଚୁଡ଼ାମଣି’ରେ ଲେଖୁଛନ୍ତି “ ଦୁର୍ଲଭିଂତ୍ରୟମେ- ବୈତତ୍ ଦୈବାନୁ ଗ୍ରହ ତୁକଂ, ମନୁଷ୍ୟତଂ ମୁ ମୁକ୍ଷବଂ ମହାପୁରୁଷ ସଂଶୟଃ” ଅର୍ଥାତ ମନୁଷ୍ୟର ଜନ୍ମଲାଭ, ମୁକ୍ତି ଲାଭ ପାଇଁ ତିବ୍ରଇଚ୍ଛା ଏବଂ ମହାପୁରୁଷ ବା ସଦ୍ଗୁରୁଙ୍କର ଆଶ୍ରୟ ଏହି ତିନି ଗୋଟି ଅତ୍ୟନ୍ତ ଦୁର୍ଲଭ । କେବଳ ଈଶ୍ଵରଙ୍କର ଅନୁଗ୍ରହ ହେଲେ ଏହା ସମ୍ଭବ । ଜୀବ ବି ଭି ନ୍ନ ଶରୀର ଧାରଣ କରି ପରି ଶେଷରେ ଯେତେବେଳେ ମନୁଷ୍ୟ ଶରୀର ଧାରଣକରେ ସେତେବେଳେ ତାକୁ ମୋକ୍ଷପ୍ରାପ୍ତି ଲାଗି ସାଧନା କରିବାର ସୁଯୋଗ ମିଳିଥାଏ । କିନ୍ତୁ ମଣିଷ ତାର ପ୍ରାରବ୍ଧକୁ ସାଥ୍ରେ ନେଇ ଆସିଥାଏ । ପ୍ରାରବ୍ଧର କର୍ମ ତାକୁ ମନୁଷ୍ୟ ଜୀବନରେ ଭୋଗ କରିବାକୁ ପଡ଼ିଥାଏ । ନିୟତୀର କାଳ ଚକ୍ରରେ ସମୟର ଗତୀରେ ଯେଉଁ ମଣିଷ ଆମ୍ବ ସତ୍ତାକୁ ହରାଇ ବସେ କାରଣ ସେତେବେଳକୁ, ସେହି ମଣିଷର ସମୟ ଅତିକ୍ରାନ୍ତ କରି ତା ଜୀବନରେ ନେଡ଼ିଗୁଡ଼ କହୁଣୀକୁ ବୋହିସାରିଥାଏ । କିନ୍ତୁ ଥରେ ମଣିଷ ତାର ସତପଥରୁ ପଥଭ୍ରଷ୍ଟ ହୋଇଗଲାପରେ ଈଶ୍ୱରୀୟ ସତ୍ତାକୁ ଭୁଲିଯାଇଥାଏ । ଆସୁରୀକ ଶକ୍ତି ତାକୁ ଗ୍ରାସ କରିସାରିଥାଏ । ଏହା ଫଳରେ ସେହି ମଣିଷ ଭଲମନ୍ଦର କଥାକୁ ଭୁଲିଯାଇଥାଏ । ବାସ୍ତବ ସତ୍ୟଠାରୁ ବହୁ ଦୂରକୁ ଚାଲିଯାଇଥାଏ । ଥରେ ଅନ୍ୟର କାୟା ଓ ମାୟା ଯେଉଁ ମଣିଷକୁ କବଳିତ କରିଥାଏ । ସେହି ମଣିଷ ନିଜର ଧୀଶକ୍ତି ଓ ସାମର୍ଥ୍ୟ ହରାଇ ବସିଥାଏ । ସେଇ ମଣିଷ ଛଦ୍ମବେଶୀ ମଣିଷର ଅକ୍ଟୋପାସ ରୂପି ସ୍ଵାର୍ଥ, ମନ୍ଦ ଅଭିଳାସ ଓ କାମନା ର ଜ୍ବଳାରୁ ନିଜକୁ କେବେ ବି ମୁକ୍ତ କରିପାରେନା । ସେହି ଅଜ୍ଞାନୀ ମଣିଷ ଗର୍ବ ଓ ଅହଂକାରର ଭଉଁରୀ ଭିତରୁ ନିଜର ଭୁଲ ଓ ତ୍ରୁଟିକୁ କଦାପି ସ୍ୱୀକାର କରିପାରେ ନାହିଁ ।
ସେହି ମଣିଷ ନିଜର ସ୍ଵଭାବ ଜନିତ ତାର ଉପକାରୀ ମଣିଷ ପ୍ରତି ନିଜର କୃତଜ୍ଞତା କେବେବି ପ୍ରକାଶ କରି ପାରିନଥାଏ । ଥରେ ସେହି ମଣିଷ ନିଜର ସ୍ଥିତିକୁ ହରାଇ ବସିବା ପରେ ଯେତେ ଚେଷ୍ଟା କଲେବି କେବେବି ତାର ପୂର୍ବ ସ୍ଥିତିକୁ କଦାପି ଫେରିଆସି ପାରେ ନାହିଁ | ସେହି ମଣିଷ ଜୀବନ ସାରା ଅନ୍ୟ ସ୍ଵାର୍ଥରୁପି ମଣିଷର ଆୟତ୍ତରେ ରହି ନିଜର ଅଜାଣତରେ ଅନ୍ୟର ଚାବିଦିଆ କଣ୍ଡେଇଟିଏ ପାଲଟି ଯାଇ ନିଜର ସ୍ଥିତିକୁ ଦୁର୍ବଳ କରିଦେଇଥାଏ। ସେହି ମଣିଷର ଜୀବନ ମୋହଗ୍ରସ୍ତ ହୋଇ ପଡ଼ିଥାଏ । ଅନ୍ୟ ମଣିଷର ଇସାରାରେ ନାଚିବାକୁ ଲାଗିଥାଏ । ସେହି ମଣିଷର ଜୀବନରେ ନିଜର ପ୍ରାରବ୍ଧର କର୍ମ, ବଂଶଗତ ସଂଚରଣ, ପୃଥକୀକରଣ ପରିବେଶ, ନିଜର ଲୁପ୍ତଗୁପ୍ତର ଆଭ୍ୟନ୍ତରୀଣ କାର୍ଯ୍ୟଧାରା, ନିଜର ଅସ୍ଥିରତା ଓ ଦଦୁଲ୍ୟମାନ ସ୍ଥିତି ଓ ଆହୁରୀ ଅନେକ କାରଣ ଯୋଗୁଁ ସେହି ମଣିଷ ତା ନିଜର ଅସ୍ଥିତ୍ଵକୁ ଭୁଲିଯାଇ ଥାଏ । ଏହିପରି ମଣିଷମାନେ ତିମିରେ ତିମିରେ ଆଗକୁ ପାଦ ବଢ଼ାଇଥାନ୍ତି । ସେମାନଙ୍କ ଲାଗି ଚେନାଏ ଆଲୋକର ଧାରା ଅସହ୍ୟ ହୋଇ ପଡ଼ିଥାଏ ।
ସେହି ମଣିଷ ଚାହିଁ କରି ମଧ୍ଯ ମୁକ୍ତ ଭାବେ ନିଜର ଭାବ ଓ ଭାବନାକୁ ସ୍ପଷ୍ଟ ଭାବେ ପ୍ରକାଶ କରିପାରି ନଥାଏ । ଏହିପରି ମଣିଷମାନେ ସଦାସର୍ବଦା ସତ୍ୟର ଅପଳାପ କରି ଆସିଥାନ୍ତି । ଏହି ପରି
ମଣିଷମାନେ ନିଜ ପାଇଁ ନିଷ୍ପଭି ମଧ୍ଯ ଦୃଢ଼ ଭାବେ ଗ୍ରହଣ କରି ପାରିନଥାନ୍ତି । ସଦାସର୍ବଦା ନିର୍ଭରଶୀଳ ହୋଇଥାନ୍ତି । ଏହି ପରି ମଣିଷମାନେ ଆଲୋକ ଠାରୁ ଅନ୍ଧକାରର ଅନୁଭବକୁ ବେଶ ଭଲ ପାଇଥାନ୍ତି । ଏହି ପରି ମଣିଷ ନିଜର ଶୂନ୍ୟତାକୁ କେବେବି ଅନୁଭବ କରିପାରିନଥାନ୍ତି । ସେହି ମଣିଷମାନେ ନିଜର ଏକାକିତ୍ବ ମୁହୂର୍ତ କୁ ବେଶ ଉପଭୋଗ କରିବାକୁ ଖୁବ୍ ଭଲ ପାଇଥାନ୍ତି । ଯେଉ “ ମଣିଷ ଥରେ ଛଦ୍ମମନା ମଣିଷର ମିଛ ମୋହ ମାୟା ସମ୍ପର୍କର ମାୟା ଜାଳରେ ଛନ୍ଦି ହୋଇ ଯାଇଥାଏ, ସେହିପରି ମଣିଷମାନଙ୍କ ନିକଟରେ ସମ୍ପର୍କର ସଂଜ୍ଞା ମୂଲ୍ୟହୀନ ହୋଇ ପଡ଼ିଥାଏ । ସମ୍ପର୍କୀୟମାନେ ତାଙ୍କ ପାଇଁ କାକ୍ଟସ୍ ସଦୃଶ ପ୍ରତୀୟମାନ ହୋଇଥାନ୍ତି । ଏହି ପରି ମଣିଷମାନେ ନିଜର ସିଦ୍ଧି ଓ ସାଧନା ବଳରେ ନିଜ ହାତରେ ଗଢ଼ିଥିବା ଅମୃତମୟ ସଦୃଶ ସୌଧଟି ତାସଘର ପରି ଭାଙ୍ଗୀ ଚୁରମାର ହୋଇ ଯାଉଥିଲେ ବି ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ କି ସେମାନଙ୍କ ମନରେ କୌଣସି ଭାବାନ୍ତର ସୃଷ୍ଟି ହୋଇପାରି ନଥାଏ । ଆତ୍ମୀୟ ସ୍ୱଜନମାନେ ବାୟା ଚଢ଼େଇର ବସା ପରି ଦୋହଲିବାର ଦୃଶ୍ଯ ସେ ସେମାନଙ୍କ ମନ ଓ ହୃଦୟକୁ କେବେ ବି ବିଚଳିତ କରିପାରିନଥାଏ । ସେହି ମଣିଷ ତାର ଅଜ୍ଞାତରେ ଗର୍ବ ଓ ଅହଂକାରର ଅନ୍ଧ ଗଳୀରେ ନିଜକୁ ହଜାଇ ଦେଇଥାନ୍ତି । ସେହି ମଣିଷମାନଙ୍କ ପାଇଁ ଆଲୋକର ଧାରା ସାତ ସପନ ହୋଇ ପଡ଼ିଥାଏ । ସେହି ମଣିଷ ମାନେ ମଣିଷ ରୂପି ଅକ୍ଟୋପସସ କବଳ ବଳରୁ ନିଜକୁ ମୁକ୍ତ କରିବା ଯେତିକି କଷ୍ଟକର ହୋଇ ପଡ଼ିଥାଏ, ତାଠାରୁ ଅଧିକ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ ।
ଏହିପରି ମଣିଷମାନେ ସଦା ଭଗବତ୍ ଚିନ୍ତା ସଦ୍ଗୁରୁ ଆଶ୍ରୟଚିନ୍ତା କରିବା ଉଚିତ । ମଣିଷ ଜୀବନ ଦୁର୍ଲଭ ଜୀବନ । ମଣିଷ କେବଳ ଇଶ୍ଵର ଚିନ୍ତନ ଦ୍ବାରା ହିଁ ମୁକ୍ତିର ବାଟ ପାଇ ପାରିଥାଏ । ଐଶ୍ୱରୀକ ଶକ୍ତି ଦ୍ବାରା ହିଁ ମଣିଷ ନିଜର ମନୁଷ୍ୟ ଜୀବନକୁ ସଫଳ କରିପାରିଥାଏ ।
