- ଜ୍ୟୋତିର୍ବିଦ ଅନ୍ନଦା ତ୍ରିପାଠୀ
ଗାଁ ଘରର ଅଗଣାର ଏକ ନିର୍ଜନ କୋଣରେ, ଭାଙ୍ଗି ପଡ଼ିଥିବା ପୁରୁଣା ଚଉକି ପାଖରେ, ଶିଆଳି ଓ ଘାସର ଆବରଣ ଭିତରେ ଆଜି ବି ନୀରବ ହୋଇ ପଡ଼ିରହିଛି ଆମ ଘରର ଢିଙ୍କି। କିନ୍ତୁ ମୋ ପାଇଁ ସେ କେବଳ ଏକ କାଠର ଜିନିଷ ନୁହେଁ। ସେ ହେଉଛି ଆମ ପରିବାରର ଜଣେ ଅଭିମାନିନୀ ବୟୋଜ୍ୟେଷ୍ଠା—ଆମର “ଢିଙ୍କି ଆଈ”।ଆଜି ତା’ର ଦେହରେ ଘୁଣପୋକର ଚିହ୍ନ, ଉପରେ ଧୂଳିର ପ୍ରଲେପ, ଚାରିପାଖରେ ଅନାବନା ଘାସର ଜଙ୍ଗଲ। କେହି ତା’ ପାଖକୁ ଯାଆନ୍ତି ନାହିଁ, କେହି ତା’ର କୁଶଳ ପଚାରନ୍ତି ନାହିଁ।
ଯେଉଁ ଢିଙ୍କି ଦିନେ ସାରା ଘରର ଅନ୍ନ ସଂସ୍ଥାନର ଭାର ବହନ କରୁଥିଲା, ଯାହାର ତାଳରେ ତାଳରେ ଗୃହସ୍ଥ ଜୀବନର ସକାଳ ଆରମ୍ଭ ହେଉଥିଲା, ସେହି ଢିଙ୍କି ଆଈ ଆଜି ଯେପରି ଅଭିମାନରେ ମୁହଁ ଫେରାଇ ବସିଛି।
ଏକଦା କିନ୍ତୁ ତା’ର କେତେ ଆଦର ଥିଲା!ଭୋରର ପ୍ରଥମ କାଉଡାକ ସହିତ ଉଠିପଡ଼ୁଥିଲେ ଘରର ମା’, ଜେଜେମା ଓ ଖୁଡ଼ୀମାନେ। ଧାନର ଡାଲା ନେଇ ସେମାନେ ଆସି ଘେରି ବସୁଥିଲେ ଢିଙ୍କି ଆଈକୁ। ତା’ର ଛନ୍ଦମୟ “ଢୁପ୍… ଢାପ୍… ଢୁପ୍…” ଶବ୍ଦରେ ଯେପରି ଘରର ପ୍ରତିଟି କୋଣ ଜାଗି ଉଠୁଥିଲା। ଚାଉଳ କୁଟିବାର ତାଳରେ ମିଶିଯାଉଥିଲା ମହିଳାମାନଙ୍କ ହସ, ଗୀତ, ଗପସପ ଓ ଜୀବନର ଅକୁହା କାହାଣୀ।
ଢିଙ୍କି ଆଈ ଥିଲା ଅଭାବର ଦିନର ସହଯୋଗିନୀ। ଧାନରୁ ଚାଉଳ, ଅରୁଆରୁ ଉଷୁନା, ଚୁଡ଼ାରୁ ଖୁଦ—ସବୁକିଛିରେ ତା’ର ଅବଦାନ ଥିଲା ନୀରବ, କିନ୍ତୁ ଅପରିହାର୍ଯ୍ୟ। ସେ କେବେ କିଛି ମାଗିନଥିଲା। ନା ଥିଲା ତା’ର କୌଣସି ଅଭିଯୋଗ, ନା ଥିଲା କୌଣସି ଦାବି। ନିଜ ଦେହରେ ଆଘାତ ସହି, ଦିନ ପରେ ଦିନ, ବର୍ଷ ପରେ ବର୍ଷ ସେ ଯୋଗାଇ ଚାଲିଥିଲା ପରିବାରର ଅନ୍ନ।
ରଜ ଆସିଲେ ପିଠା ପାଇଁ ଚାଉଳ ଗୁଣ୍ଡ ହେଉଥିଲା ତା’ର ଛାତି ଉପରେ। ମକର ସଂକ୍ରାନ୍ତିର ଆରିସା, କାକରା, ଏଣ୍ଡୁରୀର ସୁଗନ୍ଧ ସହିତ ତା’ର ସ୍ମୃତି ଜଡ଼ି ରହିଥିଲା। ନୂଆ ବୋହୂର ଗୃହପ୍ରବେଶ ଠାରୁ ଆରମ୍ଭ କରି ଶୁଭକାର୍ଯ୍ୟର ମଙ୍ଗଳଧ୍ୱନି ପର୍ଯ୍ୟନ୍ତ, ସବୁକିଛିର ନୀରବ ସାକ୍ଷୀ ଥିଲା ଏହି ଢିଙ୍କି ଆଈ।
କିନ୍ତୁ ସମୟ ବଦଳିଗଲା।
ଯନ୍ତ୍ର ସଭ୍ୟତା ଗାଁକୁ ପ୍ରବେଶ କଲା। ରାଇସ ମିଲ ଆସିଲା, ବିଦ୍ୟୁତ ଚାଳିତ ଚକି ଆସିଲା। ମଣିଷର ହାତର ସମୟ କମିଗଲା, ଜୀବନର ଗତି ବଢ଼ିଗଲା। ଧୀରେ ଧୀରେ ଢିଙ୍କି ଆଈର ଆବଶ୍ୟକତା କମିଗଲା। ଯେଉଁ ହାତଗୁଡ଼ିକ ତା’କୁ ପ୍ରତିଦିନ ସ୍ପର୍ଶ କରୁଥିଲେ, ସେହି ହାତଗୁଡ଼ିକ ଆଉ ତା’ ପାଖକୁ ଫେରିଲେ ନାହିଁ।
ଆଜି ସେ ଯେପରି ଅଭିମାନରେ ନୀରବ ହୋଇଯାଇଛି।
ବେଳେବେଳେ ଘରର ବୟସ୍କ ଜେଜେମା ଲାଠି ଭରା ହାତରେ ଧୀରେ ଧୀରେ ତା’ ପାଖକୁ ଆସନ୍ତି। କମ୍ପିତ ହାତରେ ଢିଙ୍କି ଆଈର ଦେହକୁ ଆଉଁସି ଦେଇ କହନ୍ତି—
“ତୁ ଥିଲୁ ବୋଲି ଆମ ସଂସାର ଚାଲୁଥିଲା ରେ…।”
ତାଙ୍କ ଆଖିର କୋଣରେ ଜକେଇ ଆସେ ସ୍ମୃତିର ଲୁହ। ଲାଗେ, ଦୁଇ ଜଣ ବୟସ୍କ ସଖୀ ପରସ୍ପରର ଦୁଃଖକୁ ନୀରବରେ ବାଣ୍ଟି ନେଉଛନ୍ତି। ଜଣେ ମଣିଷ, ଆଉ ଜଣେ ନିର୍ଜୀବ କାଠ; ତଥାପି ଉଭୟଙ୍କ ଭାଗ୍ୟ ଯେପରି ଏକାକାର—ବୟସ ବଢ଼ିଲେ ଆଦର କମିଯାଏ।
ଢିଙ୍କି ଆଈ କିଛି କହିପାରେ ନାହିଁ, କିନ୍ତୁ ତା’ର ନୀରବତାର ଭିତରେ ଯେପରି ଏକ ଦୀର୍ଘଶ୍ୱାସ ଶୁଣାଯାଏ—
“ଯେତେବେଳେ ତୁମ ଘରେ ଅଭାବ ଥିଲା, ମୁଁ ଥିଲି। ଯେତେବେଳେ ତୁମ ପର୍ବପର୍ବାଣୀରେ ପିଠାପଣାର ବାସ୍ନା ଉଠୁଥିଲା, ମୁଁ ଥିଲି। ଯେତେବେଳେ ତୁମ ଘରର ଝିଅମାନେ ମୋ ଚାରିପାଖରେ ବସି ହସୁଥିଲେ, ଗୀତ ଗାଉଥିଲେ, ସେତେବେଳେ ମଧ୍ୟ ମୁଁ ଥିଲି। ଆଜି ମୋର ଆବଶ୍ୟକତା ନାହିଁ ବୋଲି ମୋତେ ଏକା କରିଦେଲ?”
ବାସ୍ତବରେ, ଏହି ଢିଙ୍କି ଆଈ କେବଳ ଏକ ପୁରୁଣା ଉପକରଣ ନୁହେଁ। ସେ ଆମ ଗ୍ରାମ୍ୟ ଜୀବନର ନୀରବ ଇତିହାସ, ଆମ ମା’ ଓ ଜେଜେମାମାନଙ୍କ ପରିଶ୍ରମର ପ୍ରତୀକ, ଆମ ମାଟିର ଗନ୍ଧର ଏକ ଜୀବନ୍ତ ସ୍ମୃତି।ଆଜି ଆଧୁନିକତାର ଆଲୋକରେ ଚକଚକ କରୁଥିବା ଆମ ଘର ଭିତରେ ହୁଏତ ଢିଙ୍କି ଆଈର ଆଉ କୌଣସି ପ୍ରୟୋଜନ ନାହିଁ, କିନ୍ତୁ ଆମ ହୃଦୟର ଅଗଣାରୁ ତା’କୁ ନିର୍ବାସିତ କରିଦେବା କେତେ ଠିକ୍?
ଅଗଣାର ସେହି ନିରବ କୋଣରେ ପଡ଼ିରହିଥିବା ଅଭିମାନିନୀ ଢିଙ୍କି ଆଈ ଆଜି ବି ଯେପରି ଅପେକ୍ଷା କରୁଛି—କେହି ଜଣେ ଆସି ତା’ର ଦେହରେ ଜମିଥିବା ଧୂଳିକୁ ପୋଛିଦେବ, ସ୍ନେହରେ ଟିକେ ହାତ ବୁଲାଇ ଦେବ, ଆଉ କହିବ—
“ଆଈ, ତୁ ଅଦରକାରୀ ନୁହଁ… ତୁ ଆମ ଅତୀତର ଅମୂଲ୍ୟ ସ୍ମୃତି, ଆମ ମାଟିର ମହକ, ଆମ ଘରର ନିଶବ୍ଦ ହୃଦସ୍ପନ୍ଦନ।”
“ବୃନ୍ଦାବନ ବିହାର “
ଜଗନ୍ନାଥପ୍ରସାଦ,ଗଞ୍ଜାମ,ମୋ,-9938578454
