“ବନସ୍ପତେ ଶତବଲ୍ଶୋ ବିରୋହ ସହସ୍ରବଲ୍ଶା ବି ବୟଂ ରୁହେମ।”(ଋଗ୍ବେଦ)
ଅର୍ଥାତ୍ – ବନସ୍ପତି ! ତୁମେ ଶତଶତ ଶାଖାରେ ବୃଦ୍ଧିପ୍ରାପ୍ତ ହୁଅ, ଆମେ ମଧ୍ୟ ତୁମ ପରି ସମୃଦ୍ଧି ଓ କଲ୍ୟାଣର ପଥରେ ଅଗ୍ରସର ହେଉ।
ସୃଷ୍ଟିର ଆଦିକାଳରୁ ମନୁଷ୍ୟ ପ୍ରକୃତିର କୋଳରେ ଲାଳିତ-ପାଳିତ ହୋଇ ଆସିଛି। ତାହାର ଶ୍ୱାସରେ ବାୟୁର ସ୍ପର୍ଶ, ତାହାର ତୃଷ୍ଣାରେ ଜଳର ପବିତ୍ରତା, ତାହାର ଜୀବନରେ ଅନ୍ନର ପ୍ରାଚୁର୍ଯ୍ୟ ଏବଂ ତାହାର ଆତ୍ମାରେ ପ୍ରକୃତିର ଅବ୍ୟକ୍ତ ଆଶୀର୍ବାଦ ମିଶି ରହିଛି। ସେଥିପାଇଁ ଭାରତୀୟ ଋଷିମୁନିମାନେ ପ୍ରକୃତିକୁ କେବଳ ଭୋଗର ବସ୍ତୁ ନୁହେଁ, ବରଂ ଭଗବାନଙ୍କ ଚୈତନ୍ୟମୟ ପ୍ରକାଶ ଭାବରେ ଦେଖିଥିଲେ।
ଏହି ଦୃଷ୍ଟିଭଙ୍ଗୀରୁ ଜନ୍ମ ନେଇଥିଲା ବୈଦିକ ପରମ୍ପରାରେ ବୃକ୍ଷ ପୂଜନର ମହାନ ସଂସ୍କୃତି। ବୃକ୍ଷ ଆମ ପାଇଁ କେବଳ ଛାଇ, ଫଳ, ଫୁଲ କିମ୍ବା କାଠର ଆଧାର ନୁହେଁ; ସେମାନେ ହେଉଛନ୍ତି ଜୀବନର ନିରବ ସାଧକ, ତ୍ୟାଗର ଜୀବନ୍ତ ପ୍ରତିମୂର୍ତ୍ତି ଏବଂ ପରମାତ୍ମାଙ୍କ ଅଦୃଶ୍ୟ ଉପସ୍ଥିତିର ପବିତ୍ର ସାକ୍ଷୀ।
“ପରୋପକାରାୟ ଫଲନ୍ତି ବୃକ୍ଷାଃ,ପରୋପକାରାୟ ବହନ୍ତି ନଦ୍ୟଃ”
ପରୋପକାରାୟ ଦୁହନ୍ତି ଗାବଃ,
ପରୋପକାରାର୍ଥମିଦଂ ଶରୀରମ୍॥”
-ବୃକ୍ଷର ଜୀବନ ଏକ ମହାନ ଉପଦେଶ। ସେ ନିଜେ ଖରା, ବର୍ଷା, ଝଡ଼ ଓ ପ୍ରଖର ସୂର୍ଯ୍ୟତାପ ସହ୍ୟ କରି ଅନ୍ୟକୁ ଶୀତଳ ଛାଇ ପ୍ରଦାନ କରେ। ନିଜ ଶାଖାରେ ପକ୍ଷୀଙ୍କୁ ଆଶ୍ରୟ ଦିଏ, ନିଜର ଫଳ ଦ୍ୱାରା ଭୋକିଲାକୁ ତୃପ୍ତ କରେ ଏବଂ ଶେଷରେ ନିଜର ଦେହକୁ ମଧ୍ୟ ମାନବ କଲ୍ୟାଣରେ ଉତ୍ସର୍ଗ କରିଦିଏ।
ସେଥିପାଇଁ ଋଷିମୁନିମାନେ ବୃକ୍ଷକୁ କେବଳ ଉଦ୍ଭିଦ ଭାବରେ ନୁହେଁ, ବରଂ ଜଣେ ନିଷ୍କାମ ଯୋଗୀର ମର୍ଯ୍ୟାଦା ପ୍ରଦାନ କରିଥିଲେ।
“ମୂଳଂ ବ୍ରହ୍ମା ତ୍ୱଚା ବିଷ୍ଣୁଃ ଶାଖାଶ୍ଚ ଶଙ୍କରଃ ସ୍ମୃତଃ।
ପତ୍ରେ ପତ୍ରେ ସ୍ଥିତା ଦେବାଃ ବୃକ୍ଷରାଜାୟ ତେ ନମଃ॥”–
ଭାରତୀୟ ଦର୍ଶନରେ ବୃକ୍ଷ ମଧ୍ୟରେ ତ୍ରିଦେବଙ୍କ ଉପସ୍ଥିତି କଳ୍ପନା କରାଯାଇଛି। ମୂଳରେ ବ୍ରହ୍ମା, କାଣ୍ଡରେ ବିଷ୍ଣୁ ଏବଂ ଶାଖାପ୍ରଶାଖାରେ ମହାଦେବଙ୍କ ବାସ ବୋଲି ବର୍ଣ୍ଣନା କରାଯାଇଛି। ଏହି ଆଧ୍ୟାତ୍ମିକ ଭାବନା ମାଧ୍ୟମରେ ଆମ ପୂର୍ବଜମାନେ ମଣିଷ ମନରେ ବୃକ୍ଷ ପ୍ରତି ଶ୍ରଦ୍ଧା, ଭକ୍ତି ଏବଂ ସୁରକ୍ଷାର ଚେତନା ଜାଗ୍ରତ କରିଥିଲେ।
ଶ୍ରୀମଦ୍ଭଗବଦ୍ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି –
“ଅଶ୍ୱତ୍ଥଃ ସର୍ବବୃକ୍ଷାଣାମ୍।”
(ଗୀତା – ୧୦.୨୬)
ଅର୍ଥାତ୍ସ – ମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ ବୃକ୍ଷ।
ଏହି ଏକ ବାକ୍ୟରେ ଭଗବାନ ବୃକ୍ଷର ମହିମାକୁ ନିଜ ସହିତ ଯୋଡ଼ି ତାହାର ଦିବ୍ୟତାକୁ ପ୍ରତିଷ୍ଠିତ କରିଛନ୍ତି। ତେଣୁ ଅଶ୍ୱତ୍ଥ ବୃକ୍ଷକୁ ଭାରତୀୟ ଜନମାନସରେ ଏକ ଚଳନ୍ତି ତୀର୍ଥର ମର୍ଯ୍ୟାଦା ଦିଆଯାଇଛି।ଅକ୍ଷୟବଟ ଭାରତୀୟ ସଂସ୍କୃତିରେ ଅମରତ୍ୱ, ସ୍ଥିରତା ଏବଂ ଦୀର୍ଘାୟୁର ପ୍ରତୀକ। ସାବିତ୍ରୀଙ୍କ ଅମର ପତିବ୍ରତା ଧର୍ମ ଏହି ବୃକ୍ଷକୁ ଆହୁରି ପବିତ୍ର କରିଛି।
ଆଜି ମଧ୍ୟ ଓଡ଼ିଶାର ଗାଁ ଗଣ୍ଡାରେ ବଟବୃକ୍ଷ ତଳେ ହରିସଭା, ଭାଗବତ ଟୁଙ୍ଗୀ, ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନର ପରମ୍ପରା ଆମର ଆଧ୍ୟାତ୍ମିକ ଜୀବନର ଏକ ଅମୂଲ୍ୟ ଐତିହ୍ୟ।
“ତ୍ରିଦଳଂ ତ୍ରିଗୁଣାକାରଂ ତ୍ରିନେତ୍ରଂ ଚ ତ୍ରିୟାୟୁଧମ୍।
ତ୍ରିଜନ୍ମପାପସଂହାରଂ ଏକବିଳ୍ବଂ ଶିବାର୍ପଣମ୍॥”
ବିଳ୍ବପତ୍ରର ତିନୋଟି ଦଳ
ତ୍ରିଦେବ, ତ୍ରିଗୁଣ ଏବଂ ଭଗବାନ ଶିବଙ୍କ ତ୍ରିନେତ୍ରର ପ୍ରତୀକ। ଏକମାତ୍ର ବିଳ୍ବପତ୍ର ମଧ୍ୟ ଶିବଙ୍କ ପୂଜାକୁ ପରିପୂର୍ଣ୍ଣ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।
ସ୍କନ୍ଦ ପୁରାଣରେ କୁହାଯାଇଛି-
“ଦଶକୂପସମା ବାପୀ ଦଶବାପୀସମୋ ହ୍ରଦଃ।
ଦଶହ୍ରଦସମଃ ପୁତ୍ରୋ ଦଶପୁତ୍ରସମୋ ଦ୍ରୁମଃ॥”
ଅର୍ଥାତ,ଏକ ବୃକ୍ଷ ରୋପଣ କରିବାର ପୁଣ୍ୟ ଦଶଜଣ ପୁତ୍ର ପ୍ରାପ୍ତିର ପୁଣ୍ୟ ସହ ସମାନ ବୋଲି ଶାସ୍ତ୍ର ଘୋଷଣା କରିଛି। ଏହାର ଅର୍ଥ ହେଉଛି, ବୃକ୍ଷ କେବଳ ବର୍ତ୍ତମାନ ପିଢ଼ି ପାଇଁ ନୁହେଁ; ଭବିଷ୍ୟତ ପିଢ଼ିର ମଙ୍ଗଳ ପାଇଁ ମଧ୍ୟ ଆଶୀର୍ବାଦର ସ୍ୱରୂପ।
ଆଜି ଯେତେବେଳେ ମାନବ ସଭ୍ୟତା ନିଜର ଅସୀମ ଭୋଗଲାଳସାରେ ପ୍ରକୃତିର ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଦେଇଛି, ସେତେବେଳେ ବୈଦିକ ପରମ୍ପରାର ଏହି ବୃକ୍ଷ ପୂଜନର ଦର୍ଶନ ଏକ ନୂତନ ଦିଗନ୍ତର ଆହ୍ୱାନ କରୁଛି। ଯେଉଁଠାରେ ବିଜ୍ଞାନ ପରିବେଶ ସୁରକ୍ଷାର କଥା କହୁଛି, ସେଠାରେ ଆମର ସନାତନ ସଂସ୍କୃତି ବହୁ ପୂର୍ବରୁ ବୃକ୍ଷକୁ ଦେବତାର ମର୍ଯ୍ୟାଦା ଦେଇ ତାହାର ସୁରକ୍ଷାକୁ ଧର୍ମରେ ପରିଣତ କରିଦେଇଛି।ବୃକ୍ଷ ପୂଜନ କୌଣସି ଅନ୍ଧବିଶ୍ୱାସ ନୁହେଁ; ଏହା ହେଉଛି କୃତଜ୍ଞତାର ଏକ ମହାନ ଅଭିବ୍ୟକ୍ତି। ଏହା ପ୍ରକୃତି ମଧ୍ୟରେ ପରମାତ୍ମାଙ୍କ ଉପସ୍ଥିତିକୁ ଅନୁଭବ କରିବାର ଏକ ଦିବ୍ୟ ଦର୍ଶନ।ଯେଉଁ ହାତ ବୃକ୍ଷ ରୋପଣ କରେ, ସେହି ହାତ ଭବିଷ୍ୟତକୁ ଆଶୀର୍ବାଦ କରେ। ଯେଉଁ ହୃଦୟ ବୃକ୍ଷକୁ ଭଲପାଏ, ସେହି ହୃଦୟରେ ପରମେଶ୍ୱରଙ୍କ କରୁଣା ନିରବରେ ଅବତରଣ କରେ।
ସେଥିପାଇଁ ଆସନ୍ତୁ, ଆମେ କେବଳ ବୃକ୍ଷର ଛାଇରେ ବିଶ୍ରାମ ନ କରି, ତାହାର ତ୍ୟାଗ, ନୀରବତା ଓ ପରୋପକାରରୁ ଜୀବନର ସାଧନା ଶିଖିବା। କାରଣ, ଯେଉଁଠାରେ ବୃକ୍ଷର ସବୁଜିମା ରହିଥାଏ, ସେଠାରେ ପ୍ରକୃତିର ହସ, ଜୀବନର ସ୍ପନ୍ଦନ ଏବଂ ପରମାତ୍ମାଙ୍କ ନିରବ ଆଶୀର୍ବାଦ ସଦା ବିରାଜମାନ ରହିଥାଏ।
“ବୃନ୍ଦାବନ ବିହାର”
ଜଗନ୍ନାଥପ୍ରସାଦ,ଗଞ୍ଜାମ
ମୋ -୯୯୩୮୫୭୮୪୫୪
